ରାଣୀ ଅହଲ୍ୟା ବାଇ ଡାକବଙ୍ଗଳା ଅବହେଳିତ; ପୁନଃଉଦ୍ଧାର ଦାବି

ଧର୍ମଶାଳା, (ଆମ ଐତିହ ପ୍ରତିନିଧି) ସ୍ମାରକ ବହନ କରୁଥିବା ରାଣୀ ଅହଲ୍ୟା ବାଇ ଡାକ ବଙ୍ଗଳା ଏବେ ଭୂତ କୋଠିରେ ପରିଣତ ହୋଇଛି। ଏହାର ପୁନଃ ଉଦ୍ଧାର କରାନଗଲେ ବହୁ ପ୍ରାଚୀନ ଇତିହାସ ମାଟିରେ ମିଶିଯିବ ବୋଲି ଗବେଷକମାନେ ମତପୋଷଣ କରିଛନ୍ତି। ଏହି ଡାକ ବଙ୍ଗଳାର ନବୀକରଣ କରାଗଲେ ଅନେକ ସମୟରେ ଧର୍ମଶାଳାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଗବେଶକମାନେ ଏଠାରେ ରାତ୍ରିଯାପନ କରିପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଇତିହାସକୁ ଅବଲୋକନ କଲେ ଜଣାଯାଏ ଦୂରଦୂରାନ୍ତରୁ ତୀର୍ଥଯାତ୍ରୀ ମାନେ ଜଗନ୍ନାଥ ସଡ଼କରେ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ କ୍ଷେତ୍ର ପୁରୀକୁ ଯାଉଥିଲେ। ତୀର୍ଥଯାତ୍ରୀଙ୍କ ରହିବା ପାଇଁ ସୁବିଧା ନଥିବାରୁ ସେମାନେ ବାଟ କଡ଼ରେ ଥିବା ଗଛ ମୂଳେ ଆଶ୍ରୟ ନେଉଥିଲେ। ଏହାକୁ ଲକ୍ଷ୍ୟ କରି ରାଣୀ ଅହଲ୍ୟା ବାଇ ଜଗନ୍ନାଥ ସଡ଼କ ପାର୍ଶ୍ଵରେ ଧର୍ମଶାଳା ଘର ନିର୍ମାଣ କରିଥିଲେ। ଉକ୍ତ ଘରର ନାମ ଅନୁସାରେ ସ୍ଥାନର ନାମ ଧର୍ମଶାଳା ରଖାଯାଇଛି ବୋଲି ପ୍ରାମାଣିକ ତଥ୍ଯ ରହିଛି। ରାଣୀ ଅହଲ୍ୟା ବାଇ ଅନେକ ସ୍ଥାନରେ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଶାଳା ଘର ନିର୍ମାଣ କରିବା ସହିତ ପାନୀୟ ଜଳ ପାଇଁ କୂପ ନିର୍ମାଣ କରିଥିଲେ।ଯାହାର ପ୍ରମାଣ ସ୍ଵରୂପ ପୁରାତନ ଜଗନ୍ନାଥ ସଡ଼କ ପାର୍ଶ୍ଵରେ ଗଢି ଉଠିଥିବା ଶାନ୍ତି ବଜାରରେ ଏକ ଭଗ୍ନାବଶେଷ ବୃହତ କୂପର ସନ୍ଧାନ ମିଳିଛି। ଏହାର ପ୍ରାଚୀନତାକୁ ଦୃଷ୍ଟିରେ ରଖି ପୁନଃଉଦ୍ଧାରର ଆବଶ୍ୟକତା ରହିଛି। ଯେପରି ରାଣୀ ଅହଲ୍ୟା ବାଇ ଧର୍ମଶାଳା ଘରର ଇତିହାସକୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟ ସରକାର ରାଣୀ ଅହଲ୍ୟା ବାଇ ଡାକ ବଙ୍ଗଳା ନାମରେ ନାମିତ କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ପୁନଃଉଦ୍ଧାର କରୁଛନ୍ତି। ଏହି କ୍ରମରେ ଧର୍ମଶାଳାରେ ଥିବା ପ୍ରାଚୀନ ବିରଳ ବୌଦ୍ଧ କୀର୍ତ୍ତିରାଜି ଗୁଡିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରେ ରାଜ୍ୟ ସଂସ୍କୃତି ବିଭାଗ ତତ୍ପରତା ପ୍ରକାଶ କରିବାକୁ ବୌଦ୍ଧ ଗବେଷକମାନେ ଦାବି କରିଛନ୍ତି। ପର୍ଯ୍ୟଟନସ୍ଥଳୀର ମାନ୍ୟତା ବହନ କରୁଥିବା ବିଶ୍ଵ ପ୍ରସିଦ୍ଧ ଲାଙ୍ଗୁଡି, ବ୍ରଜଗିରି,କାଏମା,ରାଧାନଗର,ତାରାପୁର,ଦେଉଳି ଓ କଣ୍ଟିଗଡିଆ ଆଦି କ୍ଷେତ୍ରର ବିକାଶ କରାଗଲେ ପର୍ଯ୍ୟଟକ ଓ ଗବେଷକ ମାନଙ୍କ ଆଗମନ ବୃଦ୍ଧି ପାଆନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ବ୍ରାହ୍ମଣୀ ନଦୀ ଅବବାହିକାରେ ଅବସ୍ଥିତ ରାଣୀ ଅହଲ୍ୟା ବାଇ ଡାକ ବଙ୍ଗଳା ଗେଟ ସର୍ବଦା ଖୋଲା ପଡ଼ିଛି। ଡ଼ାକ ବଙ୍ଗଳା ଗୃହର ସମ୍ମୁଖ ଭାଗରେ ତାଲା ଝୁଲୁଛି। ଅସାଧୁ ଲୋକମାନେ ପାଚେରୀକୁ ଭାଙ୍ଗି ଗୋରୁ ଗାଇ ,ଛେଳି , ମେଣ୍ଢା ,କୁକୁଡା ପାଳନ କରୁଛନ୍ତି। ଡାକ ବଙ୍ଗଳା ଜାଗାକୁ ଦୁଇ ଭାଗ କରି ପାଚେରୀ ବସାଜାଇଛି। ସେଠାରେ ବ୍ଲକ ପକ୍ଷରୁ କୃଷକ ପରାମର୍ଶ କେନ୍ଦ୍ର ଗୃହ ନିର୍ମାଣ କରାଯାଇଛି। କିଛି ଲୋକ ଡାକ ବଙ୍ଗଳା ଜାଗାରେ ରାସ୍ତା ନିର୍ମାଣ କରିଛନ୍ତି। ଏବେ ଡାକ ବଙ୍ଗଳା ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଭୂତକୋଠୀରେ ପରିଣତ ହୋଇଛି। ରାଣୀ ଅହଲ୍ୟା ବାଇ ଧର୍ମଶାଳା ଘରର ଇତିହାସକୁ ଗୌରବଜ୍ଵଳ ରଖିବା ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

By admin

Leave a Reply

Your email address will not be published. Required fields are marked *